କେବଳ ତୁମରି ପାଇଁ
ଯଦି ତୁମେ ହେଇଯାଆନ୍ତ
ନୀଳ ସାଗରର ଛାତି,
ଆଉ ମୁଁ ଚାଲିଯାଆନ୍ତି ଡେଇଁ ବିଲବଣ
ସାଜି ଏକ କୁଳୁକୁଳୁ ନଈ,
କେବଳ ତୁମରି ପାଇଁ।
ଯଦି ହୁଅନ୍ତ ସେ ଦୂର ଆକାଶର ଜହ୍ନ
ମୁଁ ତୁମରି ବାଟକୁ ଚାହିଁ ଯେ ରୁହନ୍ତି
ସାଜି ସୁକୋମଳ ନୀଳ କଇଁ,
କେବଳ ତୁମରି ପାଇଁ।
ମୁଁ ହେଇଯାଆନ୍ତି ଲାଜେଇ ଫୁଲଟେ
ମହମହ ବାସ ପ୍ରତି ପାଖୁଡାରେ ନେଇ
ଯଦି ତୁମେ ସାଜି ଆସ ପାଗଳ ଭଅଁର
ଗୁଣୁଗୁଣୁ ଗୀତ ଗାଇ,
କେବଳ ତୁମରି ପାଇଁ।
ଯଦି ତୁମେ ହୁଅନ୍ତ ଫଗୁଣର ଫଗୁ
ମୁଁ ହେଇଯାଆନ୍ତି ଆତ୍ମହରା
ତୁମକୁ ମାଖିବା ପାଇଁ,
କେବଳ ତୁମରି ପାଇଁ।
ଯଦି ତୁମେ ହୁଅନ୍ତ ପ୍ରିୟ ମୋର
ଆଉ ମୁଁ ହୁଅନ୍ତି ତୁମର ମନର ପ୍ରେୟସୀ
ଶୁଣାନ୍ତି ତୁମକୁ ପ୍ରୀତିର କବିତା
ନିତି ଉଜାଗର ରହି
କେବଳ ତୁମରି ପାଇଁ
ହଁ କେବଳ ତୁମରି ପାଇଁ।।
:---ମୋନାଲିସା ଜେନା

ବହୁତ୍ ସୁନ୍ଦର୍ ଲାଗିଲା ଆଜ୍ଞା 👌👏🙏
ReplyDeleteଧନ୍ୟବାଦ
Delete